ଆଜିର ଭାଗବତ ବାଣୀ
ଓଁ ନମୋ ଭଗବତେ ବାସୁଦେବାୟ
__________________________
ମୁହିଁ ବିରଞ୍ଚି ଯେ କୁମାର। ନାରଦ ଆଦି ମୁନିବର।
ଇନ୍ଦ୍ରାଦି ଯେତେ ଦେବବର। ନ ଜାଣୁ ମହିମା ତାହାର।
ତାହାର ପ୍ରିୟ ନାହିଁ କେହି। ଅପ୍ରିୟଜନ କେହି ନାହିଁ।
ମିତ୍ର ଅଇରି ନାହିଁ ଯାର। ସମାନ ଦେଖେ ଆତ୍ମପର।
ସକଳ ପ୍ରାଣୀଙ୍କର ପ୍ରିୟ। ଯେଣୁ ସେ ସର୍ବଭୂତମୟ।
ଏ ଚିତ୍ରକେତୁ ମହାଭାଗ। ତା ଠାରେ ବିଷ୍ଣୁ ଅନୁରାଗ।
ସର୍ବତ୍ର ସମଦୃଷ୍ଟି ଏହି। ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ।
ମହାତ୍ମାପୁରୁଷ ଯେ ସେହି। ଏଣୁ ବିସ୍ମୟ ତାର ତହିଁ।
ନକର ସ୍ଥିରକର ମନ। ବିଷ୍ଣୁଭକତ ଏହୁଜନ।
ସମଦରଶୀ ଶାନ୍ତ ସେହି। ବିସ୍ମୟ ଏଥି ଅଛି କାହିଁ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଷଷ୍ଠ ସ୍କନ୍ଧ ,ସପ୍ତଦଶ ଅଧ୍ୟାୟ )
#ପ୍ରସଙ୍ଗ - ମାତା ପାର୍ବତୀଙ୍କର ରାଜା ଚିତ୍ରକେତୁଙ୍କୁ ଅଭିଶାପ
#ଅର୍ଥ - ଭଗବାନ ଶିବ କହିଲେ , ହେ ପ୍ରିୟେ ପାର୍ବତୀ ! ମୁଁ, ବ୍ରହ୍ମା , ସନତକୁମାର ଆଦି , ଦେବର୍ଷି ନାରଦ , ମୁନିଗଣ ଓ ଇନ୍ଦ୍ରାଦି ଦେବତାଗଣ ଆମ୍ଭେସବୁ କେହି ବି ସେହି ଭଗବାନଙ୍କର ମହିମାକୁ ଜାଣି ପାରୁନା। ତାଙ୍କର କେହି ପ୍ରିୟ ନୁହେଁ କି କେହି ଅପ୍ରିୟ ନୁହେଁ, କେହି ମିତ୍ର ନୁହେଁ କି କେହି ଶତ୍ରୁ ନୁହେଁ ଓ କେହି ନିଜର ନୁହେଁ କି କେହି ପର ନୁହେଁ। ତାଙ୍କ ନିକଟରେ ସମସ୍ତେ ସମାନ ଅଟନ୍ତି। ସେହି ପ୍ରଭୁ ସକଳ ପ୍ରାଣୀମାନଙ୍କର ଆତ୍ମା ହୋଇଥିବାରୁ ସେ ସକଳ ପ୍ରାଣୀମାନଙ୍କର ପରମ ପ୍ରିୟ ଅଟନ୍ତି। ଏହି ମହା ଭାଗ୍ୟବାନ ରାଜା ଚିତ୍ରକେତୁଙ୍କ ଉପରେ ଭଗବାନଙ୍କର କରୁଣା ରହିଛି ଓ ସେ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଅଟନ୍ତି। ତାଙ୍କ ମନରେ ରାଗ ଓ ଦ୍ୱେଷ ଆଦି ଭେଦଭାବ ନାହିଁ ଓ ସେ ସକଳ ପ୍ରାଣୀମାନଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି। ମୁଁ ମଧ୍ୟ ସେହିପରି ସେହି ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ତୁମ୍ଭେ ଭଗବାନ ବିଷ୍ଣୁଙ୍କର ସେହି ପରମଭକ୍ତ , ଶାନ୍ତ ଓ ସମଦର୍ଶୀ ମହାତ୍ମା ଚିତ୍ରକେତୁଙ୍କର ସ୍ଵଭାବ ଓ ଆଚରଣକୁ ଦେଖି ସେଥିରେ କୋୖଣସି ପ୍ରକାର ବିସ୍ମୟ ପ୍ରକଟ ନକରି ନିଜ ମନକୁ ଶାନ୍ତ କର।
#ଭାବାର୍ଥ - ଭଗବାନ ସକଳ ପ୍ରାଣୀମାନଙ୍କର ଆତ୍ମା ହୋଇଥିବାରୁ ସେ ସକଳ ପ୍ରାଣୀମାନଙ୍କର ପରମ ପ୍ରିୟ ଅଟନ୍ତି।
ଆପଣ ଜଗନ୍ନାଥ ମୂର୍ତ୍ତି ଖୋଜୁଛନ୍ତି କି ? ତାହେଲେ ଆପଣ WWW.ODISHASHOP.COM ସର୍ଚ କରନ୍ତୁ ......
Jay Jagannath
ReplyDelete